Unknown

 

 

 

 

 

 

 

 

 

 

 

ରେଡ୍ ଇଣ୍ଡିଆନ୍

ଶ୍ରୀ ଉଦୟନାଥ ଷଡ଼ଙ୍ଗୀ

 

 

 

 

 

 

Image

 

 

 

 

 

 

 

 

 

(ରେଡ୍‍ ଇଣ୍ଡିଆନ୍‍ମାନଙ୍କ ଘର)

 

ରେଡ୍ ଇଣ୍ଡିଆନ୍

ପରିଚୟ

 

ଆମେରିକାରେ ଏକପ୍ରକାର ଲୋକ ଅଛନ୍ତି, ସେମାନଙ୍କୁ କୁହାଯାଏ–‘ରେଡ୍ ଇଣ୍ଡିଆନ୍’ । ରେଡ୍ ଇଣ୍ଡିଆନ୍‍ର ଓଡ଼ିଆ ଅର୍ଥ ‘ଲୋହିତ ଭାରତୀୟ’ ।

ଆମେରିକା ଲୋକଙ୍କର ଏପରି ନାମ କାହିଁକି ହେଲା ? ପାଞ୍ଚଶହ ବର୍ଷ ଆଗେ ଇଉରୋପର ଲୋକେ ଭାରତବର୍ଷ କେଉଁଠାରେ ତାହା ଜାଣି ନ ଥିଲେ । କେବଳ ଶୁଣିଥିଲେ ଯେ, ଭାରତବର୍ଷରେ ଧନରତ୍ନ ପୂରି ରହିଅଛି; ସେଥିରେ ରୁଟି ଓ ଦୁଧ ଗଛରେ ଫଳେ । କିପରି ସେମାନେ ଭାରତବର୍ଷ ଦେଖିବେ, ସେଥିପାଇଁ ବଡ଼ ଉଚ୍ଛନ୍ନ ହୋଇଉଠିଲେ ।

କଲମ୍ବସ୍ ପ୍ରଥମେ କେତେକ ଡଙ୍ଗା ପ୍ରସ୍ତୁତ କରି ଇଉରୋପର ସ୍ପେନ୍ ଦେଶରୁ ଭାରତବର୍ଷ ଖୋଜିବାକୁ ବାହାରିଥିଲେ । ସେ ସମୁଦ୍ର ମଧ୍ୟରେ ବହୁଦିନ ବୁଲିବା ପରେ ୧୪୯୨ ମସିହା ଅକ୍ଟୋବର ମାସ ୧୨ ତାରିଖରେ ଗୋଟିଏ ଦେଶର କୂଳରେ ପହଞ୍ଚିଲେ । ସେମାନେ ମନେକଲେ ଯେ, ଏହିଦେଶ ଭାରତବର୍ଷ । ସେ ସେ ଦେଶରେ ବହୁତ ଦିନ ରହିଲେ । କେତେକ ଅଞ୍ଚଳ ବୁଲାବୁଲି କରି ଦେଖିଲେ; ତଥାପି ତାଙ୍କର ସେ ଭୁଲ ଧାରଣା ମନରୁ ଯାଇ ନ ଥିଲା । ସେ ଦେଶ ଭାରତବର୍ଷ ଓ ସେଠା ଲୋକେ ଭାରତୀୟ ବୋଲି ସେ ପ୍ରଚାର କରିଥିଲେ ।

କଲମ୍ବସ୍‍ଙ୍କ ପରେ ଭାସକୋଡ଼ାଗାମା ସମୁଦ୍ରରେ ବହୁ ଦିନ ବୁଲିବୁଲି ଆମ ଭାରତ ବର୍ଷରେ ଆସି ପହଞ୍ଚିଲେ । ସେତେବେଳେ ଜଣାପଡ଼ିଲା ଯେ, କଲମ୍ବସ୍ ଯେଉଁ ଦେଶ ଆବିଷ୍କାର କରିଛନ୍ତି, ତାହା ଭାରତବର୍ଷ ନୁହେଁ । ତେଣୁ ସେ ଦେଶର ଗୋଟାଏ ନୂଆ ନାମ ଦିଆଗଲା–ଆମେରିକା । ମାତ୍ର ସେଠାର ଆଦିମ ଅଧିବାସୀଙ୍କ ନାମ ଭାରତୀୟ ବା ‘ଇଣ୍ଡିଆନ୍’ ବୋଲି ରହିଗଲା । ପରେ ଅବଶ୍ୟ ଆମ ଦେଶ ଲୋକଙ୍କଠାରୁ ପୃଥକ୍ ଭାବରେ ଚିହ୍ନାଇବା ପାଇଁ ସେମାନଙ୍କ ନାମ ଦିଆଯାଇଛି–‘ରେଡ୍ ଇଣ୍ଡିଆନ୍’ ।

ଏହି ରେଡ୍ ଇଣ୍ଡିଆନ୍‌ମାନେ ଆମେରିକାର ଆଦିମ ଅଧିବାସୀ । ସେମାନେ ବହୁ ସଂଖ୍ୟାରେ ଆମେରିକାର ଚାରିଆଡ଼େ ଖେଦି ହୋଇ ରହିଥିଲେ । ପରେ ଇଉରୋପର ବିଭିନ୍ନ ଦେଶରୁ ଲୋକ ଯାଇ ସେଠାରେ ଘରଦ୍ୱାର କରି ରହିଲେ; ସହର, ଗାଁ ଗଣ୍ଡା ବସାଇଲେ, କଳ କାରଖାନା ତିଆରି କଲେ । ମାତ୍ର ପାଞ୍ଚଶହ ବର୍ଷ ଆଗରୁ ସେଠାରେ ଏ ସବୁ କିଛି ନ ଥିଲା । ବଣ ଭିତରେ ଏଣେତେଣେ ବୁଲି ବା ସ୍ଥାନେସ୍ଥାନେ କୁଡ଼ିଆ ଖଣ୍ଡିଏ ଲେଖାଏଁ କରି ବଣର ପଶୁପରି ଲୋକେ ରହୁଥିଲେ ।

ମୋଟଉପରେ ସେମାନଙ୍କୁ ରେଡ୍ ଇଣ୍ଡିଆନ୍ କୁହାଗଲେ ମଧ୍ୟ, ସେମାନଙ୍କ ମଧ୍ୟରେ ବିଭନ୍ନ ଗୋଷ୍ଠୀ ବା ଦଳ ଦେଖାଯାଏ । ପ୍ରତ୍ୟେକ ଗୋଷ୍ଠୀର ସ୍ୱତନ୍ତ୍ର ଭାଷା, ତେବେ ପରସ୍ପର ମଧ୍ୟରେ କଥାବାର୍ତ୍ତାରେ ସେମାନଙ୍କର କିଛି ଅସୁବିଧା ହୁଏ ନାହିଁ । ଏଥିରୁ ଜଣାଯାଏ, ପ୍ରଥମେ ସମସ୍ତଙ୍କର ଗୋଟିଏ ଭାଷା ଥିଲା; ଦୂର ଦୂରାନ୍ତ ଅଞ୍ଚଳରେ କାଳକାଳ ଧରି ରହିଯିବା ଫଳରେ ଯାହା କିଛି ପରିବର୍ତ୍ତନ ଘଟିଯାଇଛି ।

ସେମାନଙ୍କର କୌଣସି ଲିଖିତ ଭାଷା ନାହିଁ । ପୁରୁଣାକାଳିଆ ଗପ ବା ପୂର୍ବ ପୁରୁଷର ଇତିହାସ ଯୁଗ ଯୁଗ ଧରି ଶୁଣି ଶୁଣି ଲୋକେ ମନେ ରଖି ଆସୁଛନ୍ତି; ତେଣୁ ଏ ଯୁଗରେ ମଧ୍ୟ ସେମାନଙ୍କର ସ୍ୱତନ୍ତ୍ର ସାହିତ୍ୟ ବୋଲି କିଛି ନାହିଁ ।

ଆଗେ ରେଡ୍‌ ଇଣ୍ଡିଆନ୍‌ମାନେ ସମୟର ହିସାବ ଅଦ୍ଭୁତ ଭାବରେ ରଖୁଥିଲେ । ଆକାଶରେ ସୂର୍ଯ୍ୟର ସ୍ଥାନ ଦେଖି ସେ ସମୟ ସ୍ଥିର କରୁଥିଲେ । ଯଦି କେହି ଅନ୍ୟ ଲୋକକୁ କେତେବେଳେ ଆସିବାକୁ ବରାଦ କରୁଥିଲା, ସେତେବେଳେ ସେ ଆକାଶର ଗୋଟାଏ ସ୍ଥାନକୁ ଦେଖାଇ କହୁଥିଲା, ‘‘ସୂର୍ଯ୍ୟ ଏଇଠି ଥିଲାବେଳେ ଆସିବୁ ।’’ ନିଜେ କେତେବେଳେ ଖାଇଛି, ଏହା ବୁଝାଇବାକୁ ହେଲେ, ସେ ଆକାଶକୁ ଦେଖାଇ କହେ, ‘‘ସୂର୍ଯ୍ୟ ଏହିଠାରେ ଥିଲାବେଳେ ମୁଁ ଖାଇଥିଲି ।’’

 

ଆକାର ପ୍ରକାର

 

ରେଡ୍ ଇଣ୍ଡିଆନ୍ ବା ଲୋହିତ ଭାରତୀୟ ନାମ ହୋଇଥିଲେ ମଧ୍ୟ, ସେମାନଙ୍କ ଦେହର ବର୍ଣ୍ଣ ଲୋହିତ ବା ଲାଲ ରଙ୍ଗର ନୁହେଁ, ଈଷତ୍ ତମ୍ବା ବର୍ଣ୍ଣ ପରି ଦିଶେ । ମୁଣ୍ଡର ବାଳ ଗାଢ଼ କଳା । ଆଖି ଦୁଇଟା ମୁହଁ ତୁଳନାରେ ଟିକିଏ ସାନ ଏବଂ ଭିତରକୁ ପଶିଗଲା ପରି ଦେଖାଯାଏ । ଗାଲ ଦୁଇ ପାଖରେ ହାଡ଼ ଟିକିଏ ଉପରକୁ ଉଠିଥାଏ ।

 

ରେଡ୍ ଇଣ୍ଡିଆନ୍‌ମାନେ ଲମ୍ବା ଓ ବଳୁଆ ଲୋକ । ସେମାନଙ୍କ ଦେହର ଚମ ଲୋଚାକୋଚା । ଏସିଆର ତିବ୍ଦତବାସୀଙ୍କ ଚେହେରା ସହିତ ସେମାନଙ୍କ ଚେହେରା କେତେକ ପରିମାଣରେ ମିଳିଯାଏ । ତେଣୁ ପଣ୍ଡିତମାନେ କହନ୍ତି, ହଜାର ହଜାର ବର୍ଷ ତଳେ ସେମାନେ ଏହି ଏସିଆରୁ ଯାଇ ସେଠାରେ ବସବାସ କରି ରହିଅଛନ୍ତି ।

 

ବିଭିନ୍ନ ସମ୍ପ୍ରଦାୟ

 

ସମଗ୍ର ଦେଶରେ ରେଡ୍‌ ଇଣ୍ଡିଆନ୍‌ ଜାତିର ଯେତେ ଲୋକ ଅଛନ୍ତି, ସେମାନଙ୍କୁ ବହୁ ସମ୍ପ୍ରଦାୟରେ ବିଭକ୍ତ କରାଯାଏ । ଦୂର ଦୂରାନ୍ତ ଅଞ୍ଚଳରେ ରହି ଚଳିବା ଫଳରେ କାଳକ୍ରମେ ସେମାନଙ୍କ ଚାଲିଚଳନ ଟିକିଏ ଫରକ୍ ହୋଇଯାଇଛି, ଭାଷା ମଧ୍ୟ ବଦଳିଯାଇଛି । ଏହିପରି ଚାଲିଚଳନ ଓ ଭାଷା ବଦଳିଯିବାରୁ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ସମ୍ପ୍ରଦାୟ ବୋଲି ସେମାନଙ୍କୁ ଧରାଯାଉଅଛି ।

 

ବର୍ତ୍ତମାନ ଆମେରିକାରେ ଏହିପରି ଅସଂଖ୍ୟ ସମ୍ପ୍ରଦାୟ ଥିଲେ ମଧ୍ୟ ସେଥିମଧ୍ୟରୁ ପାଞ୍ଚଗୋଟି ସମ୍ପ୍ରଦାୟ ପ୍ରଧାନ । ଏମାନଙ୍କୁ କୁହାଯାଏ–ଇରୋକୁଇସ୍, ଆଲ୍‍ଗନକିନ୍‌ସ, ସାୟକ୍‌ସ, ମହିକାନ୍‌ସ ଓ ବ୍ଲାକ୍‌ଫିଟ୍ ।

 

ଇରୋକୁଇସ୍–ଏମାନଙ୍କ ମଧ୍ୟରୁ ଇରୋକୁଇସ୍ ସମ୍ପ୍ରଦାୟର ଲୋକେ ଆଜିକାଲି ବେଶି ଖ୍ୟାତି ଲଭିଛନ୍ତି । ଅନ୍ୟ ସମ୍ପ୍ରଦାୟ ଅପେକ୍ଷା ଏମାନଙ୍କ ସଂଖ୍ୟା ଅଧିକ । ଏହି ସମ୍ପ୍ରଦାୟ ମଧ୍ୟରେ ଛଅଟି ବିଭିନ୍ନ ଦଳର ଲୋକ ଥାଆନ୍ତି; ତେଣୁ ଏମାନଙ୍କୁ ‘ଛ’ଭାଇଆ’ କୁହାଯାଏ । ଏହି ଛଅ ଦଳ ହେଉଛନ୍ତି–ସିନିୟକସ୍, ମହାଅକ୍‌ସ, ଅନୋଡାସ୍, ଓନିଡାସ୍, କାୟୁଗୁସ୍, ଟସ୍‌କାରେର୍ସ ।

 

ଏହି ଇରୋକୁଇସ୍ ବା ‘ଛ’ଭାଇଆ’ ସମ୍ପ୍ରଦାୟ ରେଡ୍‌ ଇଣ୍ଡିଆନ୍‌ମାନଙ୍କ ମଧ୍ୟରେ ଅଧିକ ଶିକ୍ଷିତ ଓ ବୁଦ୍ଧିମାନ୍ । ଏମାନେ ନିର୍ଦ୍ଧିଷ୍ଟ ଅଞ୍ଚଳରେ ଘରଦ୍ୱାର କରି ପୁରୁଷାନୁକ୍ରମେ ବସବାସ କରି ରହନ୍ତି । ଆଧୁନିକ ଧରଣର ସରକାର ଗଢ଼ି ଦେଶ ଶାସନ କରନ୍ତି । ପ୍ରତିଦଳରୁ ପ୍ରତିନିଧି ବଛା ହୋଇ ଆସି କାଉନ୍‌ସିଲ ଗଢ଼ାଯାଏ । ସେହି କାଉନ୍‌ସିଲ ସଭା ଦେଶର ହାନିଲାଭ ବୁଝେ ଓ ଆଇନ ସବୁ ଜାରି କରେ । ଛ ଦଳ ଯାକ ସେ ଆଇନ ମାନି ଚଳିବାକୁ ବାଧ୍ୟ ।

 

ସେମାନଙ୍କ ସମ୍ପ୍ରଦାୟର ଅନ୍ୟ କୌଣସି ସମ୍ପ୍ରଦାୟ ସହିତ ଯୁଦ୍ଧ ଲାଗିଲେ, ଛ ଦଳର ଲୋକେ ସମାନ ଭାବରେ ଅଣ୍ଟା ଭିଡ଼ି ବାହାରିପଡ଼ନ୍ତି । ସେତେବେଳେ ସେମାନଙ୍କ ନିଜ ମଧ୍ୟରେ କୌଣସି ପ୍ରଭେଦ ନ ଥାଏ । ମାତ୍ର ଅନ୍ୟ ସମୟରେ ସେହି ସମ୍ପ୍ରଦାୟ ମଧ୍ୟରେ କେଉଁ ଦଳ ଆଗୁଆ ହେବ, ସେଥିପାଇଁ ବିଭିନ୍ନ ଦଳ ମଧ୍ୟରେ କଳିଗୋଳ ଲାଗିଥାଏ ।

 

ଯଦି ସମ୍ପ୍ରଦାୟର ଦୁଇ ଦଳ ମଧ୍ୟରେ ଗଣ୍ଡଗୋଳ ଉପୁଜେ, ତେବେ ସେଇ ଦୁଇ ଦଳର ଯେଉଁ ପ୍ରତିନିଧି କାଉନ୍‌ସିଲରେ ଥାଆନ୍ତି, ସେମାନେ ଏକାଠି ବସି ଦୋଷର ବିଚାର କରନ୍ତି ଏବଂ ଯେ ଦୋଷୀ ବୋଲି ପ୍ରମାଣ ପାଆନ୍ତି, ତାକୁ ଦଣ୍ଡ ଦିଅନ୍ତି । ଅନେକ ସମୟରେ ପ୍ରାୟ ଉଭୟ ପକ୍ଷଙ୍କୁ ଦଣ୍ଡ ମିଳିଥାଏ ।

Image

(ଇରୋକୁଇସ୍‍ ଦଳର ନେତା; ତାଙ୍କ ପରିବାର ଓ ଘର)

 

ଆମେ ଆମ ଦେଶରେ ଯେପରି ରାଜାପୁଅ କେବଳ ରାଜା ହେଉଥିଲେ, ସେମାନଙ୍କ ସମ୍ପ୍ରଦାୟର ପ୍ରଧାନ ବା ରାଜା ସେହିପରି ବଂଶପରମ୍ପରାକ୍ରମେ ରହନ୍ତି । ବାପ ରାଜା ଥିଲେ, ପୁଅ ନିଶ୍ଚୟ ବାପାଙ୍କ ପରେ ରାଜା ହେବ–ସେ ଯେତେ ମୂର୍ଖ, ଯେତେ ଅଯୋଗ୍ୟ ହୋଇଥାଉ ପଛକେ ।

 

ଏହି ସମ୍ପ୍ରଦାୟର ଲୋକେ ବଡ଼ ଧର୍ମଭୀରୁ ଓ ଅତିଥି ସତ୍କାରପ୍ରିୟ । ଯେଡ଼େ ଶତ୍ରୁ ହୋଇଥାଉ ପଛକେ, ଯଦି ଜଣେ କେହି ହଠାତ୍ ସେମାନଙ୍କର ଘରେ ବା ଗ୍ରାମରେ ଆସି ପହଞ୍ଚେ, ତେବେ ସେମାନେ ତାକୁ ଖୁବ୍ ଖାତିର କରନ୍ତି, ଘରେ ରଖି ଖାଇବାକୁ ଦିଅନ୍ତି । ତାହାର ଯେପରି କୌଣସି ପ୍ରକାର ଅସୁବିଧା ନ ହୁଏ, ସେଥିପାଇଁ ବିଶେଷ ଯତ୍ନ ନିଅନ୍ତି ।

 

ଏମାନେ ଆଗରୁ ହିଂସାଦ୍ୱେଷ କଅଣ, ଜାଣି ନ ଥିଲେ । ଅନ୍ୟ ସହିତ ଯୁଦ୍ଧ ବି କରୁ ନ ଥିଲେ । ଯେତେବେଳେ ଇଉରୋପରୁ ଦଳ ଦଳ ‘ଧଳା ଲୋକ’ ସେ ଦେଶକୁ ଯାଇ ସେମାନଙ୍କ ଉପରେ ଚଢ଼ାଉ କଲେ, ସେତେବେଳେ ଯାଇ ସେମାନେ ଯୁଦ୍ଧ କଥା ଜାଣିଲେ ଏବଂ ନିଜକୁ ଆପଦ ବିପଦରୁ ରକ୍ଷା କରିବା ଲାଗି ଯୁଦ୍ଧବିଦ୍ୟା ଶିଖିଲେ ।

 

ଆଲଗନ୍‌କିନ୍‌ସ–ଆଲଗନ୍‌କିନ୍‌ସ ଦଳର ଲୋକେ ଦେଶର ଚାରିଆଡ଼େ ଅଳ୍ପ ବହୁତ ଖେଦି ରହିଅଛନ୍ତି । ବିଭିନ୍ନ ଅଞ୍ଚଳରେ ଯୁଗ ଯୁଗ ଧରି ରହିବା ଫଳରେ ସେମାନଙ୍କ ମଧ୍ୟରେ କେତେକ ଉପଦଳ ସ୍ପଷ୍ଟ ହୋଇଅଛି ସତ; ମାତ୍ର ସେମାନଙ୍କ ମଧ୍ୟରେ ବିଶେଷ କିଛି ପାର୍ଥକ୍ୟ ନ ଥାଏ । ପ୍ରଧାନତଃ ସେମାନେ ଦୁଇ ଶ୍ରେଣୀର ଦେଖାଯାନ୍ତି–ଜଙ୍ଗଲବାସୀ ଓ ସମତଳ ପ୍ରଦେଶବାସୀ-

 

ଜଙ୍ଗଲବାସୀ ବଣଜଙ୍ଗଲ ମଧ୍ୟରେ ସବୁ ସମୟରେ ରହୁଥିବାରୁ ସେମାନଙ୍କର ସ୍ଥାୟୀ ଘର ବା ଗାଁ ଗଣ୍ଡା ନାହିଁ । ସେମାନେ ଆମ ଦେଶର କେଳାଙ୍କ ପରି ଏଠାରୁ ସେଠା ବୁଲି କୁଡ଼ିଆ କରି ରହନ୍ତି । ବଣର ଫଳମୂଳ ଓ ପଶୁପକ୍ଷୀ ସେମାନଙ୍କର ପ୍ରଧାନ ଖାଦ୍ୟ । ଅତିଥିମାନଙ୍କୁ ସେମାନେ ଅତି ଆପଣାର କରିନିଅନ୍ତି । ଯେଉଁ ଦେଶର ଲୋକ ହେଉ ନା କାହିଁକି, ଯଦି କେହି ଯାଇ ସେମାନଙ୍କ ଘରେ ପହଞ୍ଚେ ବା ସେମାନେ ରହୁଥିବା ସ୍ଥାନରେ ଆଶ୍ରୟ ନିଏ, ତେବେ ଆଲଗନ୍‌କିନ୍‌ସ ଲୋକେ ସବୁ ଦୁଃଖ କଷ୍ଟ ସହି ତାହାର ସୁବିଧା ଦେଖନ୍ତି । ଯେ ପର୍ଯ୍ୟନ୍ତ ସେ ନିଜେ ଅନ୍ୟତ୍ର ଚାଲିଯିବାକୁ ନ ବାହାରିଛି, ସେତେଦିନ ପର୍ଯ୍ୟନ୍ତ ତାକୁ ପାଖରେ ରଖନ୍ତି ଓ ତାହାର ସମସ୍ତ ପ୍ରକାର ସୁବିଧା କରିଦିଅନ୍ତି । ସ୍ତ୍ରୀ ଲୋକମାନେ ଏ ଅତିଥିମାନଙ୍କ ସେବାରେ ବେଶି ଭାଗ ନିଅନ୍ତି ।

 

ସମତଳ ପ୍ରଦେଶରେ ରହୁଥିବା ଆଲଗନ୍‌କିନ୍‌ସମାନେ ଗାଁ ଓ ସହରମାନଙ୍କରେ ସ୍ଥାୟୀଭାବରେ ବସବାସ କରି ଚଳନ୍ତି । ଏମାନଙ୍କର ଆଜିକାଲି ବଡ଼ ବଡ଼ ସହରମାନଙ୍କରେ କୋଠାଘର ଅଛି ଓ ନାନାପ୍ରକାର ବେପାର ବାଣିଜ୍ୟ କରି ଏମାନେ ଚଳନ୍ତି ।

 

ସ୍ୱଭାବ ଚରିତ୍ର

 

ଯେତେ ସମ୍ପ୍ରଦାୟ ବା ଦଳରେ ବିଭକ୍ତ ହୋଇଥିଲେ ମଧ୍ୟ ଲୋହିତ ଭାରତୀୟମାନଙ୍କ ସ୍ୱଭାବ ଚରିତ୍ର, ବେଶ ପୋଷାକ ଓ ଚାଲିଚଳନ ପ୍ରାୟ ଏକପ୍ରକାରର । ଏବେ ଇଉରୋପର ଲୋକମାନଙ୍କ ସଂସ୍ପର୍ଶରେ ଆସି କେତେକ ଅବଶ୍ୟ ତାଙ୍କର ପ୍ରାଚୀନ ରୀତିନୀତି ଛାଡ଼ୁଅଛନ୍ତି ଏବଂ ସେମାନଙ୍କ ସ୍ୱଭାବ ଚରିତ୍ରର ମଧ୍ୟ ସାମାନ୍ୟ ପରିବର୍ତ୍ତନ ହେଉଅଛି ।

 

ଲୋହିତ ଭାରତୀୟମାନେ ବଡ଼ ସରଳ ଓ ସତ୍ୟବାଦୀ । ଯଦି କେହି ମିଛ କହୁଅଛି ବୋଲି ସେମାନଙ୍କର ସନ୍ଦେହ ହୁଏ, ତେବେ ସାଙ୍ଗେସାଙ୍ଗେ ଗ୍ରାମର ମୁଖିଆ ବ୍ୟକ୍ତି ଗୋଟିଏ ଫମ୍ପା ନଳ ଆଣି ତାକୁ ଧରିବାକୁ ଦିଏ । ଏ ନଳଟି ଆଗରୁ ତିଆରି ହୋଇ ରହିଥାଏ । ଏହା ଉପର ନାନା ରଙ୍ଗରେ ଚିତ୍ରିତ ହୋଇଥାଏ । କଥା କହୁଥିବା ବ୍ୟକ୍ତିକୁ ନଳଟି ଯାଚି ଗ୍ରାମର ପ୍ରଧାନ ସମସ୍ତଙ୍କ ଆଗରେ କହେ–ଏ ନଳଟି ହାତରେ ଧର । ଯଦି ତୋ କଥା ସତ ହୋଇଥିବ, ତେବେ ତୁ ବହୁକାଳ ବଞ୍ଚିବୁ; ମାତ୍ର ମିଛ ହୋଇଥିଲେ ସାଙ୍ଗେସାଙ୍ଗେ ମରିଯିବୁ ।

 

ଏ ନଳକୁ ଲୋହିତ ଭାରତୀୟ ଏତେ ଭୟ କରନ୍ତି ଯେ, ଯଦି କଥାରେ ସାମାନ୍ୟ ମିଥ୍ୟା ଥିବ, ତେବେ ସେ ନଳଟିକୁ ଆଦୌ ଛୁଇଁବେ ନାହିଁ । ସେ ଯେ ମିଛକଥା କହୁଅଛି, ସେଥିରୁ ହିଁ ଲୋକେ ଜାଣିଯାଆନ୍ତି ।

 

ସ୍ତ୍ରୀ ଲୋକମାନେ ଘରର ସମସ୍ତ କାମ କରନ୍ତି ଏବଂ ଘରର ମୁରବି କେବଳ ସେହିମାନେ । ସେମାନଙ୍କ ଭାଷାରେ ସ୍ତ୍ରୀଲୋକମାନଙ୍କୁ ‘ସ୍କୁଆସ୍’ କୁହାଯାଏ । ‘ସ୍କୁଆସେସ୍’ ନାମକ ଏକପ୍ରକାର ଫସଲ ସେ ଦେଶରେ ହୁଏ–ତାହା ଲୋହିତ ଭାରତୀୟମାନଙ୍କର ପ୍ରଧାନ ଖାଦ୍ୟ । ଏହି ଫସଲ କେବଳ ସ୍ତ୍ରୀଲୋକମାନେ ଆମଦାନୀ କରନ୍ତି । ସେହି କାରଣରୁ ସେମାନଙ୍କ ନାମ ସ୍କୁଆସ୍‍ ଦିଆଯାଇଅଛି । କେବଳ ସ୍କୁଆସେସ୍‍ ଫସଲ କାହିଁକି; ଅନ୍ୟାନ୍ୟ ସବୁପ୍ରକାର ଖାଦ୍ୟପଦାର୍ଥ ଆମଦାନୀ କରିବା କାମ ସ୍ତ୍ରୀଲୋକମାନଙ୍କର । ଫସଲ ବୁଣିବାଠାରୁ ଅମଳ କରି ଘରକୁ ଆଣିବା ପର୍ଯ୍ୟନ୍ତ ଏବଂ ଘରେ ତାକୁ ରାନ୍ଧି ‘‘ସୁକୋଟାସ’’ (ଖାଇବା ଦ୍ରବ୍ୟ) ତିଆରି କରି ଘରର ସମସ୍ତଙ୍କୁ ପ୍ରତିଦିନ ଖାଇବାକୁ ଦେବା କାମ କେବଳ ସ୍ତ୍ରୀଲୋକମାନେ ହିଁ କରନ୍ତି । ପଶୁମାନଙ୍କ ଦେହରୁ ଚମଡ଼ା ଛାଲି ଘରର ସମସ୍ତଙ୍କ ପାଇଁ ପୋଷାକ ତିଆରି କରିବା ଦାୟିତ୍ୱ ମଧ୍ୟ ସେହିମାନଙ୍କର । ‘ପାପୁସ୍’ ଅର୍ଥାତ୍‍ ଛୋଟ ଛୋଟ ପିଲାମାନଙ୍କ ଯତ୍ନ ନେଇ ସେମାନଙ୍କୁ ବଢ଼ାଇ ମଣିଷ କରିବାରେ ମଧ୍ୟ ଏହି ସ୍ତ୍ରୀଲୋକମାନେ ଲାଗିଥାଆନ୍ତି । ପିଲାମାନଙ୍କୁ ସବୁ ସମୟରେ ସେମାନେ ପିଠିରେ ବନ୍ଧାଥିବା ଗୋଟିଏ ମୁଣିରେ ରଖିଦିଅନ୍ତି । କାମ କଲାବେଳେ ନିକଟସ୍ଥ ଗଛଡାଳରେ ଯେ ମୁଣିକୁ ଝୁଲାଇ ରଖନ୍ତି ।

 

ଯେତେବେଳେ ଗୋଟିଏ ସ୍ଥାନ ଛାଡ଼ି ଅନ୍ୟ ସ୍ଥାନକୁ ଯିବା ଦରକାର ହୁଏ, ସେତେବେଳେ ଏହି ସ୍ତ୍ରୀଲୋକମାନେ ହିଁ ଘର ଏବଂ ଘରର ସବୁ ଜିନିଷପତ୍ର ବୋହି ନେଇଯାଆନ୍ତି ଓ ଅନ୍ୟ ସ୍ଥାନରେ ଘର ତିଆରି କରନ୍ତି । ନିଆଁ ସାଇତି ରଖିବା କାମ ସେମାନଙ୍କ ମଧ୍ୟରେ ଅତି ଗୁରୁତ୍ୱପୂର୍ଣ୍ଣ । କାଠକୁ କାଠ ଘଷି ନିଆଁ ବାହାର କରିବାକୁ ହୁଏ ଏବଂ ସବୁଦିନ ପାଇଁ ତାକୁ ଯତ୍ନର ସହିତ ସାଇତି ରଖିବାକୁ ପଡ଼େ ।

 

ସ୍ତ୍ରୀଲୋକମାନେ କେବଳ ଯେ ଘରର କାମ କରୁଥାଆନ୍ତି, ତାହା ନୁହେଁ, ସେମାନେ ଘରର ସବୁପ୍ରକାର ମାଲିକ । ସେମାନଙ୍କ କଥା ଏଡ଼ିଦେବାକୁ କାହାରି ଶକ୍ତି ନ ଥାଏ । ଯେଉଁ ପୁରୁଷମାନେ ବାହାରକୁ ଯିବାକୁ ଇଚ୍ଛାକରନ୍ତି, ସେମାନେ ଆଗରୁ ସ୍ତ୍ରୀଲୋକମାନଙ୍କ ଠାରୁ ଅନୁମତି ନ ନେଇ କି ଉପଦେଶ ନ ଶୁଣି କୁଆଡ଼େ ଯାଇପାରିବେ ନାହିଁ । ଏପରିକି ଯୁଦ୍ଧକ୍ଷେତ୍ରକୁ ଯିବାକୁ ହେଲେ କି ବଣ ମଧ୍ୟକୁ ଶିକାର କରିବାକୁ ଯିବାକୁ ପଡ଼ିଲେ, ଆଗରୁ ଘରର ସ୍ତ୍ରୀଲୋକମାନଙ୍କଠାରୁ ଅନୁମତି ନେବା ଦରକାର ।

 

ଘର ଓ ସମ୍ପତ୍ତିର ମାଲିକ ସ୍ତ୍ରୀଲୋକମାନେ । ଯେଉଁ ପୁରୁଷ ପିଲାକବିଲା ପାଇଁ ବଣରୁ ଶିକାର ଆଣି ନ ପାରେ ବା ଯୁଦ୍ଧରୁ ଭୀରୁ ପରି ପଳାଇଆସେ ତାକୁ ଘରେ ସ୍ଥାନ ମିଳେ ନାହିଁ ।

 

Image

(ଶିକାର ଯାତ୍ରା–ଇଉରୋପୀୟଙ୍କ ସଂସ୍ପର୍ଶରେ ଆସି ପୋଷାକ ଓ ଚାଲିଚଳନ ବଦଳି ଗଲାଣି)

 

ଘରର ମାଲିକାଣୀ ସଫା କହିଦିଏ, ‘‘ଏ ଘରେ ତୁ ରହିପାରିବୁ ନାହିଁ ।’’ ପୁରୁଷ ବିଚାରା ଲାଜସରମରେ ଗାଁ ଗଣ୍ଡା ଛାଡ଼ି ପଳାଇଯାଏ; ଆଉ ଚିହ୍ନା ଲୋକଙ୍କ ପାଖରେ ମୁହଁ ଦେଖାଇବାକୁ ତାହାର ସାହସ ହୁଏ ନାହିଁ ।

 

ଶିକାର କରି ପିଲାପିଲିଙ୍କ ପାଇଁ ଖାଦ୍ୟ ଆଣିବା ଏବଂ ଦରକାର ପଡ଼ିଲେ ଯୁଦ୍ଧକୁ ଯାଇ ଶତ୍ରୁ ସହିତ ଲଢ଼ିବା କେବଳ ପୁରୁଷମାନଙ୍କର କାମ । ଶିକାର ନ କଲେ ଖାଇବାକୁ ମିଳିବ ନାହିଁ । ବର୍ଷ ମଧ୍ୟରୁ ଆଠମାସ ଯାଏ ସେମାନେ ପଶୁ ମାଂସ ଖାଇ ରହନ୍ତି । ମାଛ ମଧ୍ୟ ସେମାନଙ୍କର ଗୋଟିଏ ପ୍ରଧାନ ଖାଦ୍ୟ । ଏ ଖାଦ୍ୟସବୁ ଯୋଗାଇବା ଦାୟିତ୍ୱ ପୁରୁଷମାନଙ୍କର ।

 

ନିଜ ଶିକାର ଅଞ୍ଚଳ ମଧ୍ୟକୁ ଅନ୍ୟ ସମ୍ପ୍ରଦାୟର ଲୋକ ଆସିଗଲେ ସାଧାରଣତଃ ଯୁଦ୍ଧ ଲାଗିଥାଏ । ତା’ ନ ହେଲେ, ଯୁଦ୍ଧ ତ ଦୂରର କଥା, ଅନ୍ୟ ପ୍ରତି ରାଗ, କ୍ରୋଧ ବା ହିଂସା କେବେ ସେମାନଙ୍କ ମଧ୍ୟରେ ନ ଥାଏ ।

 

ତେବେ ସ୍ତ୍ରୀଲୋକମାନଙ୍କ ସ୍ନେହରପାତ୍ର ହେବା ଉଦ୍ଦେଶ୍ୟରେ ଅନେକ ସମୟରେ ପୁରୁଷମାନେ ଅନ୍ୟ ସମ୍ପ୍ରଦାୟ ସହିତ ଲଢ଼େଇ କରନ୍ତି । ଯୁଦ୍ଧ ଜିଣିବାଲାଗି ସେମାନେ ଯାହା ଇଚ୍ଛା ତାହା କରିପାରନ୍ତି । ଆଗରୁ କୌଣସି ପ୍ରକାର ଖବର ନ ଦେଇ ସେମାନେ ଶତ୍ରୁ ଗ୍ରାମକୁ ଯାଇ ଗାଁର ସମସ୍ତ ଘର ପୋଡ଼ି ପକାନ୍ତି ଓ ପିଲାପିଲି ସମେତ ସମସ୍ତଙ୍କୁ ନିଷ୍ଠୁର ଭାବରେ ହତ୍ୟା କରି ପକାନ୍ତି । ନିଜ ପକ୍ଷରୁ ଯଦି କେହି ମରିଯାନ୍ତି, ତେବେ ସେ ସ୍ଥାନ ପୂରଣ କରିବାଲାଗି କେତେଜଣ ପିଲା ବା ଯୁବକଙ୍କୁ ସେ ଦଳରୁ ନିଜ ଦଳକୁ ଘେନି ଆସନ୍ତି ।

 

ଗ୍ରାମ ଓ ଘର

 

ଆଜିକାଲି ବହୁ ରେଡ୍ ଇଣ୍ଡିଆନ୍ ଗ୍ରାମ ବା ସହରମାନଙ୍କରେ ସ୍ଥାୟୀ ଘର କରି ବସବାସ କରୁଅଛନ୍ତି; ମାତ୍ର ପୂର୍ବ କାଳରେ ସେମାନେ ବର୍ଷର ବରମାସଯାକ କୌଣସି ଗୋଟିଏ ସ୍ଥାନରେ ଥୟ ହୋଇ ରହୁ ନ ଥିଲେ । ଏବେ ମଧ୍ୟ ଅନେକ ଅଛନ୍ତି, ଯେଉଁମାନେ ଅପେକ୍ଷାକୃତ ଅନୁନ୍ନତ । ସେମାନେ ବଣ, ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ରହନ୍ତି । ଗୋଟିଏ ସ୍ଥାନରୁ ଶିକାର ବା ଖାଦ୍ୟପଦାର୍ଥ ସରିଗଲେ, ସେଠାରୁ ଅନ୍ୟ ସ୍ଥାନକୁ ଯାଇ ଘର କରନ୍ତି ।

 

ଜଣେଜଣେ ମୁଖିଆ ଲୋକ ବା ପ୍ରଧାନ ଅଧୀନରେ ଦଳ ବାନ୍ଧି ସେମାନେ ଗୋଟିଏ ଗୋଟିଏ ଗ୍ରାମ କରି ରହନ୍ତି । ଶତ୍ରୁମାନେ ଆଗରୁ କୌଣସି ପ୍ରକାର ସୂଚନା ନ ଦେଇ ଗ୍ରାମମାଧ୍ୟକୁ ଆସି ନିଆଁ ଲଗାଇ ଗାଁଗଣ୍ଡା ପୋଡ଼ିଦିଅନ୍ତି; ତେଣୁ ପ୍ରଧାନ ବା ନେତାର କଥା ଅନୁସାରେ ଗ୍ରାମର ଚାରିପାଖ ମଜଭୁତ କାଠ ବାଡ଼ରେ ଘେରାଉ କରା ହୋଇଥାଏ ।

 

କାଠରେ ତିଆରି କାନ୍ଥ ଓ ଛାତଦିଆ ଲମ୍ବା ଚଉଡ଼ା ଘର । ତା’ ଭିତରେ ଗ୍ରାମର ସବୁ ଲୋକେ ଗୋଟିଏ ଦଳରେ ବାସ କରନ୍ତି । କୌଣସି କୌଣସିଠାରେ ଗୋଟିଏ ଗୋଟିଏ ପରିବାର ସ୍ୱତନ୍ତ୍ର ଭାବରେ ଛୋଟ ଛୋଟ ଘର ତିଆରି କରି ମଧ୍ୟ ରହନ୍ତି ।

 

ଆଉ କେତେକ ରେଡ୍ ଇଣ୍ଡିଆନ୍‍ଙ୍କ ଘର ଚମଡ଼ାରେ ତିଆରି ହୋଇଥାଏ । କାଠର ବାଡ଼ ଉପରେ ଚମଡ଼ା ପକାଇ ବାନ୍ଧି ଦିଆଯାଏ । ଘରର ତଳି ଲମ୍ବା ଚଉଡ଼ା ନ ହୋଇ ଗୋଲ ହୋଇଥାଏ ଏବଂ ଗମ୍ବୁଜ ପରି ସରୁ ହୋଇ ଉପରକୁ ଉଠିଯାଇଥାଏ । ଯେଉଁମାନେ ଗୋଟିଏ ସ୍ଥାନରେ ସ୍ଥିର ନ ରହି ଏଣେତେଣେ ବୁଲନ୍ତି, ସେମାନଙ୍କ ପାଇଁ ଏ ଘର ସୁବିଧାଜନକ : ଗୋଟିଏ ସ୍ଥାନରୁ ଉଠି ଅନ୍ୟ ସ୍ଥାନକୁ ଗଲାବେଳେ ଘର ଭାଙ୍ଗି କାଠ ଓ ଚମଡ଼ା ସାଙ୍ଗରେ ବୋହିନିଅନ୍ତି । ଯେଉଁଠାରେ ରହିବାର ହୁଏ, ସେଠାରେ ଅତି ଅଳ୍ପ ସମୟ ମଧ୍ୟରେ ପୁଣି ସେ କାଠ ଓ ଚମଡ଼ାରେ ଘର ତିଆରି ହୋଇଯାଏ ।

 

Image

(ଚମଡ଼ା ଛାଉଣି ଘର)

 

ଆଉ କେତେକ କୁଡ଼ିଆ ଉପରକୁ ଗୋଜିଆ ହୋଇ ଉଠି ନ ଯାଇ ଗୋଲ ହୋଇଥାଏ । ଆମ ଦେଶରେ ଚାରିଆଡ଼େ ଭିକମାଗି ବୁଲୁଥିବା କେଳାମାନେ ଥରେ ଥରେ ଗାଁ ମୁଣ୍ଡ ଉଚ୍ଚ ପଡ଼ିଆ ଜାଗାରେ ଆସି ଦଳ ବାନ୍ଧି ରହିବାର ଦେଖାଯାଏ । ସେମାନେ ତାଳପତ୍ର ସିଲାଇ କରି ଏକପ୍ରକାର ଚଟେଇ ତିଆରି କରିଥାଆନ୍ତି, ସେହି ଚଟେଇକୁ ବାଉଁଶ ଖୁଣ୍ଟ ଉପରେ ବିଛାଇ ଏକପ୍ରକାର କୁଡ଼ିଆ ତିଆରି କରି ତା’ ମଧ୍ୟରେ ରହନ୍ତି । ଏ ରେଡ୍ ଇଣ୍ଡିଆନ୍‍ଙ୍କ ଘର ଠିକ୍‍ ସେହିପରି । ମାତ୍ର ତାଳପତ୍ରର ଚଟେଇ ପରିବର୍ତ୍ତରେ ସେମାନେ ମଇଁଷି ଚମ ବ୍ୟବହାର କରନ୍ତି ।

 

Image

(ପାହାଡ଼ିଆ ଅଞ୍ଚଳ ରେଡ୍‍ ଇଣ୍ଡିଆନ୍‍ଙ୍କ ପଥରଖଞ୍ଜା ଘର)

 

କେତେକ ପାହାଡ଼ିଆ ଅଞ୍ଚଳରେ ଯେଉଁ ରେଡ୍ ଇଣ୍ଡିଆନ୍‌ମାନେ ବାସ କରନ୍ତି, ସେମାନେ ପଥର ମୁଣ୍ଡା ସଜାଇ ସେଥିରେ ସେମାନଙ୍କ ଘର ତିଆରି କରିଥାଆନ୍ତି–ଠିକ୍ ଆମ ଦେଶର ପଥୁରିଆ ଅଞ୍ଚଳର ଘର ପରି । ଉପରେ ପତ୍ର ଡାଳ ଆଦି ଛପର ହୋଇଥାଏ ।

 

ଘର ଛୋଟ ହେଉ ଅବା ବଡ଼ ହେଉ, ତା’ ଭିତର ସବୁ ସମୟର ନିତାନ୍ତ ଅପରିଷ୍କାର ରହିଥାଏ । ଘରଭିତର ଏତେ ଧୂଆଁ ଖେଳି ବୁଲୁଥାଏ ଯେ, ଆମେମାନେ ସେଠାରେ ଆଦୌ ରହିପାରିବା ନାହିଁ ।

 

ଅଧିକାଂଶ ରେଡ୍ ଇଣ୍ଡିଆନ୍ ପରିବାର ତ କେବଳ ବିଭିନ୍ନ ସ୍ଥାନ ବୁଲି ସମୟ କଟାନ୍ତି । ସେମାନଙ୍କର ନିର୍ଦ୍ଦିଷ୍ଟ ଗାଁ ଗଣ୍ଡା ନାହିଁ କି ଜମିବାଡ଼ି ନାହିଁ । ଘୋଡ଼ା, ଗଧ, ଲାମା, ଆଲପକ୍‍କା, ମେଣ୍ଢା, କୁକୁର ସେମାନଙ୍କର ପ୍ରଧାନ ସମ୍ପତ୍ତି । ଏହି ପୋଷା ଜନ୍ତୁମାନଙ୍କୁ ଧରି ଦଳବଦ୍ଧ ହୋଇ ସେମାନେ ଏଠାରୁ ସେଠାକୁ ଘୂରି ବୁଲୁଥାନ୍ତି । ଯେଉଁଠାରେ ବେଶି ଘାସଭୂମି ଦେଖନ୍ତି, ସେଠାରେ ଗୋଟାଏ ଗାଁ ବସାନ୍ତି । ସମସ୍ତେ ମିଳିମିଶି କୁଡ଼ିଆ ଘରମାନ ଠିଆ କରିଦିଅନ୍ତି । ଦିନେ ଦୁଇ ଦିନ ପରିଶ୍ରମରେ ଗୋଟିଏ ସୁନ୍ଦର ଗାଁ ତିଆରି ହୋଇଯାଏ ।

 

ବିଭିନ୍ନ ପରିବାରର ଲୋକ ସେ ଗ୍ରାମରେ ବାସ କରୁଥିଲେ ମଧ୍ୟ ନିଜ ଭିତରେ କେବେହେଲେ ତାଙ୍କର ମନାନ୍ତର ହୁଏ ନାହିଁ କି କଳିଗୋଳ ଲାଗେ ନାହିଁ । ସମସ୍ତେ ଗୋଟିଏ ଘରର ଲୋକ ପରି ଚଳନ୍ତି । ନିଜର ସୁବିଧା ଅସୁବିଧାକୁ ବେଶି ଦୃଷ୍ଟି ନ ଦେଇ ଅନ୍ୟକୁ ସାହାଯ୍ୟ କରନ୍ତି ।

 

ପୁରୁଷମାନେ ଘୋଡ଼ା ବା ଗଧରେ ବସି କୁକୁରଙ୍କୁ ସାଙ୍ଗରେ ଧରି ବଣଭିତରକୁ ଶିକାର କରିବାକୁ ଚାଲିଯାଆନ୍ତି । ବଣୁଆ ମଇଁଷି ଓ ହରିଣ ସେମାନଙ୍କର ପ୍ରଧାନ ଶିକାର । ମଇଁଷି ଓ ହରିଣ ଚମ ସେମାନଙ୍କ ପୋଷାକ ଓ ଘର ତିଆରିରେ ଲାଗେ, ମାଂସ ଖାଦ୍ୟ ଯୋଗାଏ ।

 

ପୋଷାକ

 

ରେଡ୍ ଇଣ୍ଡିଆନ୍‍ମାନେ ସୁନ୍ଦର ଓ ନାନାପ୍ରକାର ରଙ୍ଗ ବେରଙ୍ଗ ଚିତ୍ରିତ ପୋଷାକ ପିନ୍ଧିବାକୁ ସୁଖ ପାଆନ୍ତି । ଆଜିକାଲି ଅବଶ୍ୟ ତୂଳାସୂତା ବା ପଶୁଲୋମ ତିଆରି ଲୁଗାର ପୋଷାକ ସେମାନେ ବ୍ୟବହାର କରୁଅଛନ୍ତି; ମାତ୍ର ପୂର୍ବେ ମଇଁଷି, ହରିଣ ଓ ଆଲପକ୍‍କା ଆଦି ପଶୁର ଚମହିଁ ସେମାନଙ୍କର ପ୍ରଧାନ ପୋଷାକ ଥିଲା ।

 

ସ୍ତ୍ରୀଲୋକମାନେ ସେ ଚମକୁ କାଟି ସିଲାଇ କରି ପୋଷାକ ତିଆରି କରନ୍ତି । ସେଥିରେ ନାନା ରଙ୍ଗରେ ଫୁଲ, ଚଢ଼େଇ, ଗଛ, ପଶୁ ଆଦିର ଛବି ଅଙ୍କା ଯାଇଥାଏ । ପୁରୁଷମାନଙ୍କ ଅପେକ୍ଷା ସ୍ତ୍ରୀଲୋକମାନଙ୍କ ପୋଷାକ ବେଶି ଚିତ୍ରିତ ହୋଇଥାଏ । ପୁରୁଷ ଓ ସ୍ତ୍ରୀଲୋକ ଉଭୟେ ଜାମା ଓ ପାଇଜାମା ପିନ୍ଧନ୍ତି । ପୁରୁଷମାନଙ୍କ ଜାମା ଆଣ୍ଠୁଯାଏ ପଡ଼ିଥାଏ; ମାତ୍ର ସ୍ତ୍ରୀଲୋକମାନଙ୍କ ଜାମା ପାଦଯାଏ ଓହଳିଥାଏ । ଜାମାର ଶେଷ ମୁଣ୍ଡ ଏବଂ ହାତରେ ଓ ବେକରେ ଝାଲେରି ଲାଗିଥାଏ । ପୁରୁଷମାନେ ମୁଣ୍ଡରେ ପକ୍ଷୀପରରେ ତିଆରି ଏକପ୍ରକାର ଟୋପି ପିନ୍ଧନ୍ତି । ତାହା ପିଠିପଟେ ଗୋଡ଼ ପର୍ଯ୍ୟନ୍ତ ଲମ୍ବି ଆସିଥାଏ । ସ୍ତ୍ରୀମାନେ ମୁଣ୍ଡବାଳ ଜଟ କରିଥାନ୍ତି–ଟୋପି ପିନ୍ଧନ୍ତି ନାହିଁ, ଦେହରେ ଜାମା ଉପରେ ଆଉ ଖଣ୍ଡେ ଉତ୍ତରୀ ପକାଇ ଥାଆନ୍ତି । କାଇଁଚ, ବଣର ଶୁଖିଲା ଫଳର ମଞ୍ଜି, ପଶୁ ଦାନ୍ତ ଓ ଛୋଟ ହାଡ଼ର ମାଳି ସେମାନଙ୍କର ପ୍ରିୟ ଭୂଷଣ ।

 

Image

(ରେଡ୍‍ ଇଣ୍ଡିଆନ୍‍ ରମଣୀର ବେଶଭୂଷା)

 

ଚମ ପୋଷାକ ସିଲାଇ କରିବାରେ ପଶୁର ଅନ୍ତ ସୂତା ଓ ସରୁ ହାଡ଼ ଛୁଞ୍ଚିର କାମ ଦେଇଥାଏ । ଚମଯାକ ପ୍ରଥମେ ନାନା ଉପାୟରେ ଖୁବ୍ ନରମ କରି ଦିଆଯାଏ, ତା’ପରେ ସେଥିରେ ପୋଷାକ ତିଆରି ହୁଏ ।

 

ସ୍ତ୍ରୀଲୋକମାନେ ଏସବୁ ପୋଷାକ ତିଆରି କରିବାରେ ବିଶେଷ ଦକ୍ଷ । ଝିଅମାନଙ୍କୁ ପିଲାଦିନରୁ ପୋଷାକ ତିଆରି କରିବା ଓ ସେଥିରେ ନାନାପ୍ରକାର କମକୂଟ କରି କିପରି ପୋଷାକଟି ସୁନ୍ଦର କରିବାକୁ ହେବ ସେ ସବୁ କଥା ମାଆମାନେ ଶିକ୍ଷା ଦେଇ ଥାଆନ୍ତି । ଯେଉଁ ସ୍ତ୍ରୀଲୋକ ଯେତେ ସୁନ୍ଦର ପୋଷାକ ତିଆରି କରିବାରେ ଦକ୍ଷ, ସମାଜରେ ତାହାର ଆଦର ସେତେ ବେଶି ।

 

ଆମୋଦ ପ୍ରମୋଦ

 

ରେଡ୍ ଇଣ୍ଡିଆନ୍‌ମାନେ ଶିକାରୀ ଜାତି । ତେଣୁ ସେମାନଙ୍କ ନାଚ ଗୀତ, ଠାକୁରପୂଜା, ପୁନିଅଁ ପର୍ବ ଆଦି ସେହି ଶିକାର ଅନୁକରଣରେ ହୋଇଥାଏ । ଏମାନଙ୍କ ମଧ୍ୟରେ ଯେଉଁ ନାଚ ଗୀତ ହୁଏ, କେବଳ ଆନନ୍ଦ ପାଇବା ପାଇଁ ସେମାନେ ତାହା କରି ନ ଥାନ୍ତି । ଶତ୍ରୁ ସହିତ ଯୁଦ୍ଧ କରିବାକୁ ଯିବା ଆଗରୁ, ବଣକୁ ଶିକାର କରିବାକୁ ଯିବାକୁ ହେଲେ, ସମାଜ ମଧ୍ୟରେ କେହି ବେମାରରେ ପଡ଼ିଲେ ବା କେହି ସମାଜର ନୀତିବିରୁଦ୍ଧ କାମ କଲେ, ରେଡ୍ ଇଣ୍ଡିଆନ୍‍ମାନଙ୍କ ମଧ୍ୟରେ ଚହଳ ପଡ଼ିଯାଏ । ସେମାନେ ଗାରେଡ଼ୀ ମନ୍ତ୍ର କରନ୍ତି । ବଡ଼ ଜାକଜମକରେ ଭୂତପ୍ରେତଙ୍କୁ ପୂଜା କରାଯାଏ । ସେହି ସମୟରେ ନାନାପ୍ରକାର ବାଜା ବାଜେ ଓ ସ୍ତ୍ରୀ ପୁରୁଷ ଦଳଦଳ ହୋଇ ନାଚନ୍ତି ।

 

ଏହି ନାଚ ଭିନ୍ନଭିନ୍ନ ସମୟରେ ବିଭିନ୍ନ ପ୍ରକାରର ହୋଇଥାଏ । ଯୁଦ୍ଧକୁ ଗଲାବେଳେ ‘ଯୁଦ୍ଧ’ ନାଚ, ଯୁଦ୍ଧ ଜୟ କରି ଆସିଲେ ‘ମୁଣ୍ଡକଟା’ ନାଚ, ଶିକାରକୁ ଗଲାବେଳେ ବା ଶିକାରରୁ ଫେରିଲେ ‘ମଇଁଷି’ ନାଚ; ସାମାଜିକ କାମରେ ବା ପର୍ବପର୍ବାଣୀରେ ସୂର୍ଯ୍ୟ ପୂଜା ଓ ସୂର୍ଯ୍ୟ ନାଚ; ଲୋକଙ୍କ ମଙ୍ଗଳ ପାଇଁ ବର୍ଷର ନିର୍ଦ୍ଦିଷ୍ଟ ଦିନରେ ସାପ ପୂଜା ଓ ସର୍ପ ନାଚ ଆଦି ସେମାନଙ୍କ ଆମୋଦ ପ୍ରମୋଦ ଓ ଧର୍ମକାର୍ଯ୍ୟ ମଧ୍ୟରେ ପ୍ରଧାନ ।

 

ନାଚ ଗୀତ ହେଉଥିବା ସମୟତକ ସେମାନେ ବେଶ୍ କାର୍ଯ୍ୟବ୍ୟସ୍ତ ଥାଆନ୍ତି । ନାନାପ୍ରକାର ରଙ୍ଗ ବେରଙ୍ଗ ପୋଷାକ ପିନ୍ଧି, ପକ୍ଷୀର ପର ବା ଠେକୁଆ ରୁମର ଟୋପି ମୁଣ୍ଡରେ ଦେଇ ଦଳ ଦଳ ହୋଇ ସେମାନେ ଆସି ନାଚରେ ଯୋଗ ଦିଅନ୍ତି । ସେ ସମୟରେ ଖିଆପିଆର ବହୁତ ବ୍ୟବସ୍ଥା କରାଯାଇଥାଏ । ‘ମଇଁଷି’ ନାଚରେ ପୋଷା ମଇଁଷି ଏବଂ ବଣର ମଇଁଷିଙ୍କୁ ଚିତ୍ର ବିଚିତ୍ର କରି ଆଣିଥାଆନ୍ତି । ପରେ ସେ ମଇଁଷି ମାରି ତା’ ମାଂସ ସମସ୍ତେ ଭାଗ କରି ଖାଆନ୍ତି । ସୂର୍ଯ୍ୟ ନାଚ ସମୟରେ ସେମାନେ ବହୁଦିନ ଧରି ଉପବାସ ରହନ୍ତି ଓ ପ୍ରାର୍ଥନା କରନ୍ତି । ସାପ ନାଚ ପର୍ବ ନଅ ଦିନ ଲାଗି ରହେ ।

 

ରେଡ୍ ଇଣ୍ଡିଆନ୍‍ମାନଙ୍କ ମତରେ ଭୂତପ୍ରେତ ହିଁ ଏ ସଂସାର ଚଳାଉଅଛନ୍ତି । ‘ମହାଭୂତ’ ଜଣେ । ତା’ ବାଦ୍ ଆଉ ଅନେକ ଭଲ ପ୍ରକୃତିର ଓ ମନ୍ଦ ପ୍ରକୃତିର ଭୂତ ଅଛନ୍ତି । ସେମାନେ ଗଛର ଡାଳପତ୍ରରେ ରହିଥାଆନ୍ତି, ଆକାଶରେ ଉଡ଼ି ବୁଲନ୍ତି, ପବନ ଓ ବର୍ଷା ପାଣି ସହିତ ମିଶିଥାଆନ୍ତି । ଦେଶର ବା ସମାଜର ଯେତେ ଭଲ ମନ୍ଦ ହୁଏ, ସେ ସମସ୍ତ ଏହି ଭୂତମାନଙ୍କ କାମ । ଭୂତମାନଙ୍କୁ ଖୁସି ରଖିପାରିଲେ ଆଉ ଆପଦ ବିପଦ ପଡ଼ିବ ନାହିଁ, ବହୁତ ଖାଇବାକୁ ମିଳିବ ଓ ସମାଜର ସବୁ ମଙ୍ଗଳ ହେବ । ସେହି ଭୂତପ୍ରେତମାନଙ୍କୁ ଖୁସି ରଖିବାପାଇଁ ସମାଜ ମଧ୍ୟରେ ଜଣେ ଲେଖାଏଁ ‘ପୁରୋହିତ’ ଥାଆନ୍ତି । ସେମାନେ ନାନା ମନ୍ତ୍ର ଯନ୍ତ୍ର ଜାଣନ୍ତି; ମନ୍ତ୍ରବଳରେ ଭୂତଙ୍କୁ ବଶକରି ରଖନ୍ତି ।

 

ସମାଜରେ ଏହି ‘ପୁରୋହିତ’ ବା ଗୁଣିଆ ଲୋକର ଆଦର ବହୁତ ବେଶି । ସମସ୍ତେ ତାକୁ ପ୍ରାଣପଣେ ଭୟ କରନ୍ତି । ସେମାନଙ୍କର ବିଶ୍ୱାସ, ଭୂତପ୍ରେତମାନଙ୍କୁ ଗୁଣିଆ ସବୁବେଳେ ବଶ କରି ରଖିଥାଏ । ସେ ରାଗିଲେ ଭୂତପ୍ରେତଙ୍କ ଦ୍ୱାରା ଲୋକଙ୍କର ସବୁପ୍ରକାର କ୍ଷତି କରିପାରିବ । ତେଣୁ ଗୁଣିଆକୁ ଖୁସି ରଖିବାପାଇଁ ସମସ୍ତେ ସବୁବେଳେ ଚେଷ୍ଟା କରୁଥାଆନ୍ତି ।

 

ସମାଜରେ ଗୁଣିଆ ଲୋକଙ୍କର ଆଦର ସବୁଠାରୁ ବେଶି । ଗ୍ରାମର ପୁରୋହିତ ସେହି, ବୈଦ୍ୟ ସେହି, ଜ୍ୟୋତିଷ ସେହି ଏବଂ ସବୁ କାର୍ଯ୍ୟର ପରାମର୍ଶଦାତା ସେହି ।

 

ସଂଖ୍ୟା କ୍ରମେ କମୁଛି

 

କଲମ୍ବସ୍ ଯେଉଁ ସମୟରେ ଆମେରିକାରେ ପହଞ୍ଚିଲେ, ତାହାର କିଛି ଦିନ ପରେ ରେଡ୍ ଇଣ୍ଡିଆନ୍‍ମାନଙ୍କ ସଂଖ୍ୟା ଗଣନା କରାଯାଇଥିଲା । ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ଓ କାନାଡ଼ାରେ ସର୍ବମୋଟ ଦଶଲକ୍ଷ ପଚାଶହଜାର ପର୍ଯ୍ୟନ୍ତ ରେଡ୍ ଇଣ୍ଡିଆନ୍ ଥିଲେ । ଇଉରୋପର ଲୋକଙ୍କୁ ସେମାନେ ପ୍ରଥମେ ଭୂତପ୍ରେତ ବୋଲି ମନେ କରୁଥିଲେ, ତେଣୁ ସେମାନଙ୍କ ପାଖ ପଶିଲେ ନାହିଁ ।

 

ଇଉରୋପୀୟମାନେ ସେଠାରେ କିଛି ଦିନ ଚଳପ୍ରଚଳ ହେଲା ପରେ ଓ ସେମାନଙ୍କସହ ମିଳାମିଶା କଲା ପରେ, ରେଡ୍ ଇଣ୍ଡିଆନ୍‍ମାନେ ସେମାନଙ୍କୁ ତାଙ୍କରି ଭଳି ମଣିଷ ମନେକଲେ । ଦୂର ଦେଶରୁ ଅତିଥି ରୂପେ ଆସିଥିବାରୁ ସେମାନଙ୍କର ସବୁପ୍ରକାର ସୁବିଧା କରିଦେବାକୁ ଲାଗିଲେ ଓ ଯତ୍ନ ନେଲେ । କ୍ରମେ ରେଡ୍ ଇଣ୍ଡିଆନ୍ ଓ ଇଉରୋପୀୟମାନଙ୍କ ମଧ୍ୟରେ ବନ୍ଧୁତା ଘନିଷ୍ଠ ହୋଇଉଠିଲା ।

 

ମାତ୍ର ଏ ବନ୍ଧୁତା ବେଶି ଦିନ ରହି ନ ଥିଲା । ଇଉରୋପୀୟମାନେ ନାନା କୌଶଳରେ ସେମାନଙ୍କ ଜମିବାଡ଼ି ନିଜର କରିନେଲେ, ସେମାନଙ୍କ ଦେଶର ମାଲିକ ହୋଇ ବସିଲେ । ତା’ ସାଙ୍ଗେସାଙ୍ଗେ ସେମାନଙ୍କ ଧର୍ମବିଶ୍ୱାସ ଓ ଶିକ୍ଷା ଦୀକ୍ଷା ବଦଳାଇ ଦେବାକୁ ଏବଂ ସେମାନଙ୍କୁ ନିଜ ଛାଞ୍ଚରେ ଗଢ଼ିବାକୁ ସବୁମନ୍ତେ ଉଦ୍ୟମ କଲେ ।

 

ରେଡ୍ ଇଣ୍ଡିଆନ୍‍ମାନେ ଏହା ପସନ୍ଦ କଲେ ନାହିଁ । ଇଉରୋପୀୟ ଖାଦ୍ୟପେୟ ଓ ଚାଲିଚଳନ ସେମାନଙ୍କ ଦେହରେ ଗଲା ନାହିଁ । କ୍ରମେ ବିଭିନ୍ନ ପ୍ରକାର ରୋଗ ସେମାନଙ୍କ ମଧ୍ୟରେ ପ୍ରବେଶ କଲା । ବହୁ ସଂଖ୍ୟକ ଲୋକ ମରିବାକୁ ଲାଗିଲେ । ତେଣୁ ଇଉରୋପୀୟମାନଙ୍କୁ ସେମାନେ ବନ୍ଧୁ ନ ଭାବି ଶତ୍ରୁ ମନେକଲେ । ସ୍ଥାନେ ସ୍ଥାନେ ଦଳ ବାନ୍ଧି ସେମାନଙ୍କୁ ମାରି ପକାଇଲେ ।

Image

(ଇଉରୋପୀୟ ଭୟରେ ବଣକୁ ପଳାଇଯାଇଥିବା ଗୋଟିଏ ପରିବାର ଓ ସେମାନଙ୍କ ଗୃହ)

 

ଇଉରୋପୀୟଙ୍କ ହାତରେ ବନ୍ଧୁକ, ଗୁଳା ବାରୁଦ । ଯୁଦ୍ଧରେ, କୂଟ କପଟରେ ରେଡ୍ ଇଣ୍ଡିଆନ୍‍ମାନେ ସେମାନଙ୍କୁ ପାରିଲେ ନାହିଁ । ପରାସ୍ତ ହୋଇ ନିବିଡ଼ ଜଙ୍ଗଲ ଓ ପାହାଡ଼ ପର୍ବତ ଘେରା ନିକାଞ୍ଚନ ସ୍ଥାନରେ ଯାଇ ଲୁଚିଲେ ।

 

ବର୍ତ୍ତମାନ ରେଡ୍ ଇଣ୍ଡିଆନ୍‍ମାନଙ୍କ ସଂଖ୍ୟା ମୋଟଉପରେ ପାଞ୍ଚ ଲକ୍ଷ ମଧ୍ୟରେ । ଚାରିଶହ ବର୍ଷ ଭିତରେ ପ୍ରାୟ ଅଧେ କମିଗଲେଣି । ଏହିପରି କମିଲେ, ଆସନ୍ତା ଚାରିଶହ କି ପାଞ୍ଚଶହ ବର୍ଷ ମଧ୍ୟରେ ପୃଥିବୀରେ ଆଉ ଖାଣ୍ଟି ରେଡ୍ ଇଣ୍ଡିଆନ୍ ଜାତିର ସତ୍ତା ନ ଥିବ ।

 

କେତେକ ଗାଉଁଲୀ ଗପ

–୧–

 

ପାଉନୀ ଜାତିର ଜଣେ ଯୁବକ ଥରେ ବଣକୁ ଯାଇଥିଲେ ସେଠାରେ ସେ ଗୋଟିଏ ଭାଲୁ ଛୁଆ ଦେଖିଲେ । ଛୁଆଟି ବଡ଼ କଉତୁକିଆ ହୋଇଥାଏ । ଯୁବକ ତାକୁ ତଳୁ ଉଠାଇ ଆଣି କୋଳ କଲେ । ତାକୁ କେତେ ଗେଲ କଲେ, ତା’ ସାଙ୍ଗରେ ମନଖୁସିରେ ଖେଳିଲେ । ଶେଷରେ ସନ୍ଧ୍ୟା ହୋଇଆସିବାରୁ ନିଜ ବେକରୁ ପଥରମାଳି ହାରଟି ଫଟାଇ ତା’ ବେକରେ ବାନ୍ଧି ଦେଲେ । ତା’ ପିଠି ଆଉଁଷିଦେଇ କହିଲେ–‘‘ତୁ ଥା, ମୁଁ ଘରକୁ ଯାଉଅଛି । ‘ତିରାଓ୍ୟା’ ତୋର ମଙ୍ଗଳ କରିବେ, ଆପଦ ବିପଦରେ ତୋତେ ରକ୍ଷା କରିବେ । ଯଦି ମୋ ବଂଶରେ କେହି କେବେ ଭାଲୁଙ୍କ ହାବୁଡ଼ରେ ପଡ଼େ, ତେବେ ତାହାର କେହି କିଛି ଅନିଷ୍ଟ କରିବ ନାହିଁ–ଏହି ମାତ୍ର ନିବେଦନ ।’’

 

ଏହା କହି ଯୁବକ ଘରକୁ ଗଲେ । କେତେଦିନ ପରେ ତାଙ୍କର ଗୋଟିଏ ପୁଅ ହେଲା । ସେ ପୁଅଟି ଭାଲୁ ଛୁଆଙ୍କ ସାଙ୍ଗରେ ଖେଳିବାକୁ ସବୁବେଳେ ସୁଖ ପାଇଲା । ଭାଲୁ ଶବ୍ଦ ଅନୁକରଣ କରି ପାଟି କଲା । ତେଣୁ ତାହାର ନାମ ଦିଆଗଲା ‘ଭାଲୁବନ୍ଧୁ’ ।

 

କ୍ରମେ ଭାଲୁବନ୍ଧୁ ଯୁବକ ହେଲା । ଥରେ ସେ ନିଜ ଦଳର ବୀରଙ୍କ ସହିତ ଅନ୍ୟ ଦେଶକୁ ଲଢ଼ିବା ପାଇଁ ଗଲା ।

 

ବାଟରେ ପାହାଡ଼ ଗୁମ୍ଫାରେ ଶତ୍ରୁମାନେ ଲୁଚି ବସିଥିଲେ । ସେମାନେ ଭାଲୁବନ୍ଧୁ ଓ ତା’ ଦଳ ଉପରେ ଚଢ଼ାଉ କରି ସେମାନଙ୍କୁ ମାରି ପକାଇଲେ । ହାତ ହତିଆର ଯାହା ଥିଲା, ସବୁ ଲୁଟି ନେଇଗଲେ । ଭାଲୁବନ୍ଧୁ ମରି ସେହିଠାରେ ପଡ଼ିଥାଏ । ଗୋଟିଏ ଭାଲୁ ବୁଲି ବୁଲି ଆସି ସେଠାରେ ପହଞ୍ଚିଲା । ସେ ମୁର୍ଦ୍ଦାରସବୁ ପଡ଼ିଥିବାର ଦେଖି ଶୁଙ୍ଘିଲା, କେତେ ଗଁ ଗଁ ହେଲା । ଯେତେବେଳେ ଭାଲୁବନ୍ଧୁର ଶବ ପାଖରେ ଆସି ପହଞ୍ଚିଲା, ସେତେବେଳେ ଚମକି ଉଠିଲା । ସେ ପାଟିକରି କହିଲା–ଆରେ, ଆମ ଭାଇ ଏଠାରେ ମରି ପଡ଼ିଅଛି । ଏହାର ବାପ ଆମ ପିଲାଙ୍କ ଯତ୍ନ ନେଉଥିଲେ, ଆମେ ଏହାର ଯତ୍ନ ନେବା । ଏ ଯେପରି ବଞ୍ଚି ଉଠିବ–ତାହାର ବ୍ୟବସ୍ଥା ନିଶ୍ଚୟ କରିବାକୁ ହେବ ।

 

ବଣରୁ ସବୁ ଭାଲୁ ସେଠାକୁ ଆସିଲେ, ଏ କଥା ଶୁଣିଲେ । ଭାଲୁଙ୍କ ମଧ୍ୟରେ ଯେ ଦଳପତି, ସେ କହିଲା, ‘‘ଏହା ତ ବଡ଼ କଷ୍ଟ କଥା । ତଥାପି ଆସ, ଚେଷ୍ଟା କରିବା ।’’

 

ଏହା କହି ସେ ବସି ତିରାଓ୍ୟାଙ୍କୁ ପ୍ରାର୍ଥନା କଲା । କେତେକ ଭାଲୁ ସେ ଶବକୁ ନିଆଁ ଜାଳି ସେକିଲେ । କିଛି ସମୟ ପରେ ଶବ ହଲଚଲ ହେଲା, ତା’ପରେ ଜୀଇଁ ଉଠି ବସିଲା ।

 

ଭାଲୁମାନେ ତାକୁ ଖୁବ୍‍ ଆଦର ଯତ୍ନ କଲେ । ନିଜ ଗୁମ୍ଫା ମଧ୍ୟକୁ ନେଇଯାଇ ତାହାର ସେବା କଲେ । ଭଲଭଲ ଜିନିଷ ଖାଇବାକୁ ଦେଲେ । ଭାଲୁ ଧର୍ମ ଶିଖାଇଲେ । ତିରାଓ୍ୟାରାଙ୍କ ଦୟାରୁ ଭାଲୁମାନେ ନିରାପଦରେ ରହିଅଛନ୍ତି; ତେଣୁ ସବୁବେଳେ ତିରାଓ୍ୟାଙ୍କୁ ଉପାସନା କରିବାକୁ ତାକୁ କହିଲେ ।

 

ଭାଲୁବନ୍ଧୁ କିଛି ଦିନ ପରେ ସୁସ୍ଥ ସବଳ ହୋଇ ନିଜ ଦଳ ମଧ୍ୟକୁ ଫେରିଆସିଲା । ମାତ୍ର ଘରେ ବେଶି ଦିନ ରହିପାରିଲା ନାହିଁ । ଯେଉଁ ଭାଲୁମାନେ ତାକୁ ବଞ୍ଚାଇଛନ୍ତି, ତାଙ୍କ ପ୍ରତି ତାହା ମନ ଛଟପଟ ହେଲା । ସେ ଘରୁ କେତେକ ଉପହାର ଜିନିଷ ଧରି ପୁଣି ଭାଲୁ ଥିବା ବଣକୁ ଗଲା ।

 

ଭାଲୁ ଦଳର ଦଳପତି ପୁଣି ଭାଲୁବନ୍ଧୁକୁ ଦେଖି, ଉପହାର ଦ୍ରବ୍ୟ ପାଇ ଖୁବ୍‍ ଖୁସି ହୋଇଗଲା । ସେ ଭାଲୁବନ୍ଧୁକୁ କୋଳ କରି ନିଜ ଦେହରେ ଭିଡ଼ି ଧଇଲା । ସେତେବେଳେ ଆଶୀର୍ବାଦ କରି କହୁଥାଏ–ମୋ ଛାତି ତୋ ଛାତିରେ ଲାଗିଲେ, ତୋର ସାହସ ବଢ଼ିଯିବ । ମୋ ହାତ ତୋ ହାତରେ ଲାଗିଲେ, ବଳ ବେଶି ହେବ । ମୋ ମୁଣ୍ଡ ତୋ ମୁଣ୍ଡରେ ଲାଗିଲେ, ତୁ ବେଶି ବୁଦ୍ଧିଆ ହେବୁ ।

 

ଭାଲୁବନ୍ଧୁ କିଛି ଦିନ ସେଠାରେ ରହି ପୁଣି ଘରକୁ ଫେରିଲା । ପରେ ନିଜ ଦଳରେ ସେ ନେତା ହୋଇଥିଲା । ତା’ ବୁଦ୍ଧି, ତା’ ବଳ ଓ ତା’ ସାହସ ଯୋଗେ ପାଉନୀ ଜାତି ଅନ୍ୟ ଜାତିଙ୍କଠାରୁ ଶ୍ରେଷ୍ଠ ହେଲା ।

 

ଭାଲୁବନ୍ଧୁ ନିଜ ଦଳର ନେତା ହୋଇ ଦଳ ମଧ୍ୟରେ ତିରାଓ୍ୟା ପୂଜା ପ୍ରଚଳନ କରାଇଲା-। ଭାଲୁ ନାଚ ମଧ୍ୟ ସେହି ସୃଷ୍ଟି କରିଥିଲା । ସେହି ଦିନଠାରୁ ରେଡ୍ ଇଣ୍ଡିଆନ୍‍ଙ୍କ ମଧ୍ୟରେ ଭାଲୁ ନାଚ ଚଳିଆସୁଅଛି ।

 

–୨–

 

ଗୋଟିଏ ବୁଢ଼ୀ; ତାହାର ଗୋଟିଏ ସାନ ନାତି ଥାଏ, ଆଉ କେହି ନ ଥାନ୍ତି । ନାତି ପିଲାଟି ଯେତେବେଳେ ଘରୁ ବାହାରି ଖେଳିବାକୁ ଯାଏ, ସେତେବେଳେ ବୁଢ଼ୀ ଆଈ କହେ, ‘‘ତୁ ପୂର୍ବକୁ ଖେଳିବାକୁ ଯା, ପଶ୍ଚିମକୁ ଜମା ଯିବୁ ନାହିଁ ।’’

 

ପ୍ରତିଦିନ ବୁଢ଼ୀ ଏହି କଥାପଦକ କହେ–ନାତି ଶୁଣେ । ଦିନେ ସେ ପଚାରିଲା, ‘‘ଆଈ, ପଶ୍ଚିମକୁ ଯିବି ନାହିଁ କାହିଁକି ? ଅନ୍ୟ ପିଲାମାନେ ତ ସେମାନଙ୍କ ମନଇଚ୍ଛା ପୂର୍ବ ବା ପଶ୍ଚିମକୁ ଯାଉ ଅଛନ୍ତି; ମାତ୍ର ତୁ ମୋତେ ପଶ୍ଚିମକୁ ଯିବାକୁ ବାରଣ କରୁଅଛି କାହିଁକି ?’’

 

ଆଈ ଉତ୍ତର ଦେଲା, ‘‘ପଶ୍ଚିମର ଲୋକଗୁଡ଼ାକ ଖରାପ । ସେମାନେ ପିଲାମାନଙ୍କ ବାପ ମା’ ବା ଅଜା ଆଈଙ୍କୁ ଖୁବ୍ ଘୃଣା କରନ୍ତି, ସେମାନଙ୍କର ନାନାପ୍ରକାର କ୍ଷତି କରନ୍ତି । ପିଲାମାନେ ତାଙ୍କ ଖାପ୍‌ଚରେ ପଡ଼ିଲେ, ଖରାପ ହୋଇଯାଆନ୍ତି, ନିଜ ବାପ ମା’, ଅଜା ଆଈଙ୍କୁ ଆଉ ପଚାରନ୍ତି ନାହିଁ । ତୁ ତାଙ୍କ କବଳରେ ପଡ଼ିଲେ ମୋ ପାଖକୁ ଆସିବୁ ନାହିଁ । ମୁଁ ତୋତେ ନ ଦେଖିଲେ ରହିବି କିପରି ? ମୋ ଧନ ପରା, ପଶ୍ଚିମକୁ ଯିବୁ ନାହିଁ ।’’

 

ପିଲା ମନେମନେ ଭାବିଲା, ‘‘ପଶ୍ଚିମଲୋକେ ତ ଜଗତର ଶତ୍ରୁ । ଏପରି ଲୋକ ପୃଥିବୀରେ ରହିବା ଉଚିତ ନୁହେଁ । ସେମାନଙ୍କୁ ଜବତ୍ କରିବାକୁ ହେବ ।’’ ଏହା ଭାବି ସେ ପର ଦିନ ରାତି ନ ପାହୁଣୁ ବିଛଣାରୁ ଉଠିଲା । ସେତେବେଳେ ଆଈ ଶୋଇ ରହିଥାଏ । ସେ ପଶ୍ଚିମ ଦିଗକୁ ଯାତ୍ରା କଲା । କେତେ ବାଟ ଚାଲିବା ପରେ ସେ ଗୋଟାଏ ହ୍ରଦ ଦେଖିଲା । ସେଥିରେ ବହୁତ ଛୋଟ ଗଛ, ଲତା, ବୁଦା ଭର୍ତ୍ତି ହୋଇଥାଏ । ସେ କୂଳରେ ବସି ପଡ଼ି ହ୍ରଦରୁ ପାଣି ପିଇଲା । ଏହି ସମୟରେ ଶୂନ୍ୟରୁ ତାକୁ ଶୁଭିଲା, ‘‘ତୋତେ ପଶ୍ଚିମକୁ ଆସିବାକୁ କିଏ କହିଲା ? ତୁ ଗୋଟାଏ ବାମନ–ମୂର୍ଖ ରେଡ୍ ଇଣ୍ଡିଆନ୍ ।’’

 

ପିଲା ଆଉ ପାଣି ପିଇବ କଅଣ ? ସେ ମୁହଁ ଟେକି ଏଣେତେଣେ ଚାହିଁଲା । ମାତ୍ର କିଏ କଥା କହୁଅଛି, କିଛି ଜାଣିପାରିଲା ନାହିଁ ।

 

ତା’ପରେ ଶବ୍ଦ ହେଲା–ତୁ ଘରକୁ ଯା, ଦେଖିବୁ, ମୁଁ ତୋ ଆଈକୁ କି ଦଣ୍ଡ ଦେଇଅଛି । ଆଈ ସହ ତୁମ ଘରକୁ ମୁଁ ପୋଡ଼ି ପକାଇଅଛି ।

 

ନାତି ସାହସର ସହିତ ଉତ୍ତର ଦେଲା–ତା’ ତ ଭଲକଥା । ଆଉ ନିଆଁ ଖୋଜିବାକୁ ମୋତେ ବଣଯାକ ବୁଲିବାକୁ ପଡ଼ିବ ନାହିଁ ।

 

ଏହା କହି ସେ ସେଠାରୁ ନିଜ ଗ୍ରାମକୁ ଫେରିଆସିଲା । ସେ ଏତେ ଜୋରରେ ଦଉଡ଼ିଲା ଯେ, ବଣର ହରିଣ ମଧ୍ୟ ତା’ ସହିତ ଦଉଡ଼ିପାରିବ ନାହିଁ । ସେ ନିଜ ଘରପାଖକୁ ଆସି ଦେଖିଲା, ଘର ହୁ ହୁ ଜଳୁଅଛି । ସେ ସାହସର ସହିତ ଘରଭିତରକୁ ପଶିଗଲା । ତା’ ଆଈକୁ ଘୋଷାରି ପଦାକୁ ଘେନି ଆସିଲା । ଆଈ ନାତି ଯାଇ ପାଖରେ ଥିବା ଗୋଟିଏ ପାହାଡ଼ ଗୁମ୍ଫାରେ ବାସ କଲେ । ତାଙ୍କ କୁଡ଼ିଆଟି କେତେ ଦିନ ଯାଏ ଜଳିଲା । ଲୋକେ ସେଇଥିରୁ ନିଆଁ ନେଇ ଚଳିଲେ ।

 

ନାତି ମନେମନେ ଭାବିଲା–ଲୁଚି ରହି ଏପରି ଦାଉ ସାଧିବା ତ ଠିକ୍ ନୁହେଁ ।

 

ସେ ପର ଦିନ ଆଈ ପାଇଁ ଆଉ ଗୋଟିଏ ଭଲ କୁଡ଼ିଆ ତିଆରି କରିଦେଲା । ଆଈକୁ ଖୁସିରେ ରଖି ପୂର୍ବ ଦିଗକୁ ଗଲା । ସେଠାରେ ଜଣେ ବଡ଼ ଗୁଣୀ ଲୋକ ଥିଲେ । ତାଙ୍କଠାରୁ ସେ ଗୁଣିବିଦ୍ୟା ଶିଖିଲା । ଗୋଟିଏ ଭାଲୁଚମ ଓ ନିଜ ବଂଶୀଟି ଦେଇ ସେ ସେଠାରୁ ଗୁଡ଼ିଏ ବାଲିଗରଡ଼ା କିଣିଲା । ତାହାକୁ ଧରି ସେ ପୁଣି ଥରେ ପଶ୍ଚିମକୁ ଯାତ୍ରା କଲା ।

 

ଆଗର ସେହି ହ୍ରଦ ପାଖରେ ପହଞ୍ଚିଲାକ୍ଷଣି ପୁଣି ଶୂନ୍ୟରୁ ଶବ୍ଦ ହେଲା, ‘‘ତୋର ତ ଦିମାକ୍ କମ୍‍ ନୁହେଁ ? ତୁ ଜାଣୁ ମୁଁ ତୋର କଅଣ କ୍ଷତି କରିପାରେ ?’’

 

ଏହା ଶୁଣି ନାତି ଖୁବ୍‍ ବଡ଼ ପାଟି କରି କହିଲା, ‘‘ତୁ କିଏ ? ଲୁଚି ରହି କଥା କହୁଅଛୁ କାହିଁକି ? ପଦାକୁ ବାହାରିଆ, ମୋ ସହିତ ଯୁଦ୍ଧ କର ।’’

 

ଉତ୍ତରରେ ଶୁଣାଗଲା–‘‘ତୁ ମନେ କରିଅଛୁ, ମୁଁ ତୋ’ପରି ଗୋଟାଏ ରେଡ୍ ଇଣ୍ଡିଆନ୍‍ ପିଲାର ଆଦେଶ ପାଳିବି ? ମୁଁ ଜଙ୍ଗଲର ପ୍ରଳୟ ଅଗ୍ନି ପଠାଇଦେଇଛି । ସେ ତୋ ଆଈକୁ ପୋଡ଼ି ପାଉଁଶ କରି ପକାଇବ ।’’

 

ଏହା ଶୁଣିବାକ୍ଷଣି ନାତି ହାତରେ ଯେଉଁ ବାଲିଗରଡ଼ା ସବୁ ଧରିଥିଲା, ତାହା ହ୍ରଦ ପାଣିକୁ ଫୋପାଡ଼ିଲା । ସାଙ୍ଗେସାଙ୍ଗେ ପାଣିସବୁ ତାତି ଯାଇ ଫୁଟିବାକୁ ଲାଗିଲା । ନାତି ତା’ ଧନୁଶର ଧରି ଠିଆ ହୋଇ ରହିଲା ।

 

ଗୋଟାଏ ବିଚିତ୍ର ଜନ୍ତୁ ହ୍ରଦର ଆର ପାଖ କୂଳରେ ସେ ତତଲା ପାଣିରୁ ବାହାରି ଠିଆ ହେଲା । ନାତି ସାଙ୍ଗେସାଙ୍ଗେ ଶର ମାରିଦେଲା । ଶର ଯାଇ ସେ ଜନ୍ତୁଟା ଦେହରେ ବାଜିବା ମାତ୍ରକେ ସେହି ପାଣିଭିତରେ ସେ ଢଳିପଡ଼ିଲା; ଟକଟକ ଫୁଟୁଥିବା ଗରମ ପାଣିରେ କୁଆଡ଼େ ମିଳେଇଗଲା । ସେହି ଦିନୁ ସେ ହ୍ରଦରୁ ଆଉ କୌଣସି ଶବ୍ଦ ଶୁଭେ ନାହିଁ ।

 

ନାତି ଆଈପାଖକୁ ଫେରିଆସିଲା । ଉଭୟେ ସୁଖରେ ରହିଲେ । ତା’ପରେ ରେଡ୍ ଇଣ୍ଡିଆନ୍‍ମାନେ ଯେଉଁ ଦିଗକୁ ଇଚ୍ଛା, ସେ ଦିଗକୁ ଯାଇପାରିଲେ ।

 

–୩–

 

ବହୁ ଦିନ ଆଗେ ରେଡ୍ ଇଣ୍ଡିଆନ୍‍ମାନେ ଫସଲ କଅଣ ଜାଣି ନ ଥିଲେ । କେବଳ ବଣରୁ ଶିକାର କରି ମାଂସ ଖାଇ ସେମାନେ ବଞ୍ଚୁଥିଲେ । ଶିକାର ସବୁ ସମୟରେ ମିଳେ ନାହିଁ । ତେଣୁ ବେଳେବେଳେ ସେମାନେ ଉପବାସ ରହିବାକୁ ବାଧ୍ୟ ହେଉଥିଲେ ।

ପରିବାରରେ ପିଲାଟିଏ ହେଲେ, ସେମାନଙ୍କ ମଧ୍ୟରେ ବଡ଼ ଭାବନା ପଡ଼ିଯାଉଥିଲା–ଶିକାର ନ ମିଳିଲେ ତାକୁ ଖାଇବାକୁ ଦେବେ କଅଣ ?

ତେଣୁ ବାପାମାଆ ପିଲାମାନଙ୍କୁ ନେଇ ବଣରେ ଛାଡ଼ି ଦେଇ ଆସୁଥିଲେ । ଯେ ‘ମହାଭୂତ’ଙ୍କ କୃପାରୁ ବଞ୍ଚୁଥିଲା, ସେ ଶିକାର କରି ମାଂସ ଆଣୁଥିଲା, ନିଜେ ଖାଉଥିଲା, ବାପାମାଆଙ୍କୁ ଖାଇବାକୁ ଦେଉଥିଲା ।

‘ଚିପ୍‌ଉଏଜ’ର ଗୋଟିଏ ପୁଅ ହେଲା । ବାପ ମାଆଙ୍କର ସେହି ଗୋଟିକ ପୁଅ । ତାକୁ ଆନନ୍ଦରେ ବଢ଼ାଇଲେ ।

କ୍ରମେ ସେ ବଡ଼ ହେଲା । ବେଶି ମାଂସ ଖାଇଲା । କିଛି ଦିନ ଯାଏ ଶିକାର ମିଳିଲା ନାହିଁ । ଚିପ୍‌ଉଏଜ କି ତା’ ସ୍ତ୍ରୀ ପୁତ୍ର କିଛି ଖାଇବାକୁ ପାଇଲେ ନାହିଁ । ଚିପ୍‌ଉଏଜ ବାଧ୍ୟ ହୋଇ ପୁଅକୁ ବଣଭିତରେ ଛାଡ଼ିଦେଇ ଆସିଲା ।

ପୁଅ ସେଠାରେ ଭୋକଉପାସରେ ପଡ଼ିଥାଏ । ସବୁବେଳେ ମହାଭୂତଙ୍କୁ ପ୍ରାର୍ଥନା କରୁଥାଏ ।

ଦିନେ ଗଲା, ଦୁଇ ଦିନ ଗଲା । ନ ଖାଇ ନ ପିଇ ତୃତୀୟ ଦିନରୁ ସେ ବଡ଼ ଦୁର୍ବଳ ହୋଇପଡ଼ିଲା ।

ସେ ଦେଖିଲା, ତା’ ଆଗରେ ଗୋଟିଏ ଶାଗୁଆ ରଙ୍ଗର ଲୋକ ଠିଆ ହୋଇଅଛି । ସେ ଲୋକଟି ପୁଅକୁ କହିଲା, ‘‘ଭଲ ଖାଇବା ଦ୍ରବ୍ୟ ଆଣିଅଛି, ଖା ।’’

ପୁଅ କହିଲା, ‘‘ମୋ ବାପାମାଆ ନ ଖାଇଲେ ମୁଁ କିଛି ହେଲେ ଖାଇବି ନାହିଁ ।’’

ଶାଗୁଆ ଲୋକ ବହୁତ ଜିଦ୍ ଲଗାଇଲା; କିନ୍ତୁ ପୁଅ କିଛି ହେଲେ ଖାଇଲା ନାହିଁ ।

ଶାଗୁଆ ଲୋକ କହିଲା, ‘‘ତା’ହେଲେ ଆ, ମୋ ସହିତ ଯୁଦ୍ଧ କର ।’’

ପୁଅ ବଡ଼ ଦୁର୍ବଳ ହୋଇ ପଡ଼ିଥିଲା । ତଥାପି ସେ ଉଠି ତା’ ସହିତ ଯୁଦ୍ଧ କଲା ।

ଯୁଦ୍ଧ ଚାରିଦିନ ଯାଏ ଲାଗିଲା । ଶେଷକୁ ଶାଗୁଆ ଲୋକଟି ତଳେ ପଡ଼ିଗଲା ।

ପୁଅ ମନରେ ବଡ଼ ଦୁଃଖ ହେଲା । ସେ ତା’ ପାଖରେ ଯାଇ ବସି ପଡ଼ିଲା ।

ଶାଗୁଆ ଲୋକ କହିଲା’ ‘‘ଦୁଃଖ କର ନାହିଁ । ମୁଁ ବର୍ତ୍ତମାନ ମରିଯିବି । ମୋତେ ଏହି ସ୍ଥାନରେ ମାଟି ଖୋଳି ପୋତି ପକାଇବ । ପ୍ରତିଦିନ ଆସି ସେ କବର ଉପରେ ପାଣି ଟିକିଏ ଟିକିଏ ଦେବ ।’’

ଏହା କହି ସେ ମରିଗଲା । ପୁଅ ମନଦୁଃଖରେ ତାକୁ ସେହିଠାରେ ପୋତି ପକାଇଲା ।

ଚାରିଦିନ ପରେ ଦେଖିଲା, ସେଠାରେ କେତେଗୁଡ଼ିଏ ଗଛ ଉଠିଅଛି । ଶାଗୁଆ ଲୋକ ଦେହରେ ଯେତିକି ଲୋମ, ସେତିକିଟି ଗଛ ।

ପୁଅ ସେଠାରେ ପାଣି ଢାଳିଲା ।

ସେ ଗଛଗୁଡ଼ିକ କ୍ରମେ ବଢ଼ିଲା । କେତେ ଦିନ ପରେ ଦେଖାଗଲା, ସେଥିରେ ପେଣ୍ଡି ପେଣ୍ଡି ହୋଇ ସୁନ୍ଦର ଫଳ ଫଳିଅଛି ।

ସେ ଫଳରୁ ଗୁଡ଼ିଏ ଧରି ପୁଅ ଘରକୁ ଆସିଲା । ବାପ ଆଗରେ ସବୁ କଥା କହିଲା ।

ବାପ କହିଲା, ‘‘ସେ ମହାଭୂତ । ତୁ ଉପବାସରେ ଥିବାରୁ ତୋତେ ଦୟା କଲେ ।’’

ସେ ଗଛର ଫଳଯାକ ସମସ୍ତେ ବାଣ୍ଟି ଖାଇଲେ ।

ସେପରି ମଞ୍ଜିକୁ ଲୋକେ ଗହମ କହିଲେ । ଶିକାର ନ ମିଳିଲେ ରେଡ୍ ଇଣ୍ଡିଆନ୍‍ମାନେ ଆଉ ଉପବାସ ରହନ୍ତି ନାହିଁ; ସେହି ଗହମ ଖାଇ ବଞ୍ଚନ୍ତି ।

ପୁଅ ନିଜେ ଉପବାସ ରହି ସମସ୍ତଙ୍କ ପାଇଁ ଖାଦ୍ୟଦ୍ରବ୍ୟର ବ୍ୟବସ୍ଥା କରିଦେଇ ଗଲା ।

Image